ଆଜକୁ ୧୪ବର୍ଷ ହେବ ନିଜସ୍ୱ କୋଠା ନାହି । କେତେବେଳେ କାହା ଅଗଣାରେ ତ କେତେବେଳେ କାହା ବାରଣ୍ଡାରେ ଖରା ବର୍ଷା ବର୍ଷ ତମାମ ଚାଲୁଛି ଛୋଟ ଛୋଟ ପିଲାଙ୍କୁ ନେଇ ଅଙ୍ଗନବାଡି । ମାଁ ଓ ଶିଶୁଙ୍କ ପାଇଁ ଥିବା ଯୋଜନାର ନା ଲାଭ ଉଠାଇ ପାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦିଗହରା ହୋଇପଡିଛି ସରକାରଙ୍କ ମାଁ ଓ ଶିଶୁବିକାଶ ଯୋଜନା । ଅଙ୍ଗନବାଡିର ହିତାଧିକାରୀ ଗର୍ଭବତୀ ମାଁ, ୦-୫ ବର୍ଷ ପ୍ରି-ସ୍କୁଲ ପିଲା ଭୋଗୁଛନ୍ତି ନାନା ଅସୁବିଧା । ଏଇଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ବାଲେଙ୍ଗା ପଞ୍ଚାୟତ ୨ନଂ ଅଙ୍ଗନବାଡି କେନ୍ଦ୍ରଠାରେ । ବାଲେଙ୍ଗା ପଞ୍ଚାୟତ ୨ନଂ ଅଙ୍ଗନବାଡି । ୨୦୦୭ମସିହାରେ ନିଜସ୍ୱ ଏକ ଘରେ ଚାଲିଆସୁଥିବା ବେଳେ ୨୦୦୯ ମସିହାରେ ଉକ୍ତ ଘରଟି ଭାଙ୍ଗି ନଷ୍ଟ ହୋଇଯାଇଥିଲା । ୨୦୦୯ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୀର୍ଘ ୧୪ ବର୍ଷ ଧରି ଉକ୍ତ କେନ୍ଦ୍ରଟି ପ୍ରଥମେ ପ୍ରଥମେ ସ୍କୁଲ ବାରଣ୍ଡା ପରେ ଗ୍ରାମର ଏକ ଦେବତା ମନ୍ଦିର ଓ ଏହାପରେ ବିଭିନ୍ନ ଘର ଅଗଣା ତ କେତେବେଳେ ବାରଣ୍ଡାରେ କାର୍ଯ୍ୟକ୍ଷମ ହେଉଅଛି । ଖରା ବର୍ଷା ଶୀତରେ ବର୍ଷ ତମାମ ଏହି ନିଜସ୍ୱ କୋଠା ନଥିବା ଅଙ୍ଗନବାଡି କେନ୍ଦ୍ରଠାରେ ଅନୂକୂଳ ପରିସ୍ଥିତିରେ ବହୁ ଅଭାବ ଅସୁବିଧା ମଧ୍ୟରେ ହିତାଧିକାରୀ, ଗର୍ଭବତୀ ମାଁ, ୦-୫ ବର୍ଷ ପିଲା ଏହିପରିକି ସାଧାରଣ ଲୋକେ ପ୍ରି-ସ୍କୁଲ, ମମତା ଦିବସ ଇମୁନାଇଜେରେସନ, ପୋଷଣ ଦିବସ, ଝାଡାବାନ୍ତି ଜ୍ଵର ଚିକିତ୍ସା ପାଇଁ ନିର୍ଭର କରିଆସୁଛନ୍ତି । କୋଠା ନଥିବା ହେତୁ ଅଙ୍ଗନବାଡି କେନ୍ଦ୍ରର ଯାବତୀୟ ସରଞ୍ଜାମ ଚେୟାର, ଟେବୁଲ ଖେଳନାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ଉପଯୋଗ ହୋଇପାରୁନଥିବା ଅଙ୍ଗନବାଡି କର୍ମୀ ଦେବକୀ ହରିଜନ ପ୍ରକାଶ କରିଛନ୍ତି । ଏହିପରି କି ଖୋଲା ସ୍ଥାନରେ ଗର୍ଭବତୀ ମାନେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସଙ୍କୋଚ ହେଉଥିବା ସହ କେବଳ ନାମକୁ ମାତ୍ର କେନ୍ଦ୍ରଟି କାର୍ଯ୍ୟକ୍ଷମ ଥିବା ବେଳେ ଗ୍ରାମବାସୀ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଅଙ୍ଗନବାଡି କେନ୍ଦ୍ରଟିଏ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ଲୋକପ୍ରତିନିଧିଠାରୁ ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଆମେ କୋଷାଗୁମୁଡା ସିଡିପିଓ ଯମୁନା ଭତରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ “ନୂତନ କୋଠା ନିର୍ମାଣ ପାଇଁ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହି । ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଆସିଥିବା ତାଲିକାରେ ମଧ୍ୟ ବାଲେଙ୍ଗାର ନାମ ରହିନାହି ଏନେଇ ବିଭାଗକୁ ଜଣାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ” |

Post a Comment