କୋଷାଗୁମୁଡା ବ୍ଲକ ସଦର ବାଲେଙ୍ଗା ପଞ୍ଚାୟତଠାରେ ସ୍ଥାନ ଅଭାବ ଥିବା ସ୍ଥାନରେ 5ଟି ସ୍କୁଲ ରୂପାନ୍ତରିକରଣ କାମ । ଯାହାକୁ ନେଇ ଗ୍ରାମବାସୀଙ୍କ ବିରୋଧ । ସ୍କୁଲ ଜାଗାକୁ ନେଇ ପ୍ରଶାସନ ଓ ଗ୍ରାମବାସୀ ଉପୁଜିଛି ବିବାଦ। ନିର୍ମାଣ ସ୍ଥଳୀରେ ଆଜି ନବରଙ୍ଗପୁର ପି.ଡି. ଅନନ୍ୟା ଦାସ ପହଞ୍ଚି ଗ୍ରାମବାସୀଙ୍କ ସହ ବହୁ ଆଲୋଚନା ପରେ ମଧ୍ୟ ବାହାରି ପାରିନାହିଁ କୌଣସି ନିଷ୍କର୍ଷ । ବାଲେଙ୍ଗା ଉନ୍ନୀତ ଉଚ୍ଚ ବିଦ୍ୟାଳୟ । ୬୩ ଡେସିମିଲ ସ୍ଥାନରେ ଅବସ୍ଥିତ ଏହି ବିଦ୍ୟାଳୟ ୧୯୬୨ ମସିହାରେ ସ୍ଥାପିତ ହୋଇଥିଲା । ୨୦୧୨ ମସିହାରୁ ହାଇସ୍କୁଲର ମାନ୍ୟତା ପାଇଥିବା ସ୍କୁଲରେ ପ୍ରଥମରୁ ଦଶମଶ୍ରେଣୀର ମୋଟ ୨୮୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଥିପାଇଁ ଜରାଜିର୍ଣ ୩ଟି ଶ୍ରେଣୀଗୃହକୁ ମିଶାଇ ପ୍ରଥମରୁ ଦଶମ ପାଇଁ ମୋଟ ୬ଟି ଶ୍ରେଣୀଗୃହ ରହିଛି । ବ୍ଲକରେ ୩ୟ ପର୍ଯ୍ୟାୟରେ ଏହି ହାଇସ୍କୁଲଟି ୫ଟି ସ୍କୁଲ ରୂପାନ୍ତରିକରଣ ପାଇଁ ମନୋନୀତ ହୋଇଥିଲା । ୫ଟିରେ ଏହି ହାଇସ୍କୁଲରେ ଖେଳ ପଡିଆ ନିର୍ମାଣ, ୨ଟି ସ୍ମାର୍ଟକ୍ଳାସରୁମ, ସାଇନ୍ସ ଲେବ, ଲାଇବ୍ରେରୀ ନିର୍ମାଣ, ସାଇକେଲ ଷ୍ଟାଣ୍ଡ, ପାନୀୟ ଜଳ, ଆଇଟି ଲେବ, ସ୍ପୋର୍ଟସ ରୁମ ଓ ସୋନ୍ଦର୍ଯ୍ୟକରଣ ନେଇ ଏକ ଡିପିଆର ପ୍ରସ୍ତୁତ କରାଯାଇଥିଲା । 5ଟି ସ୍କୁଲ ରୂପାନ୍ତରିକରଣ କାମ ପାଇଁ ସ୍କୁଲର ସ୍ଥାନ ବହୁତ ଅଭାବ ଥିବା ଯୋଗୁଁ ଗ୍ରାମର ମୁଖ୍ୟରାସ୍ତା ନିକଟରେ ଥିବା ପ୍ରସ୍ତାବିତ ପ୍ରାୟ ୭ଏକର ସ୍ଥାନରେ କରାଯିବା ନେଇ ଲୋକପ୍ରତିନିଧି ଓ ଗ୍ରାମବାସୀ ପୂର୍ବରୁ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଭାବେ ଜଣାଇଥିଲେ । ତହସିଲ ପକ୍ଷରୁ ଉକ୍ତ ସ୍ଥାନର ଚିହ୍ନଟ ପ୍ରକ୍ରିୟା ମଧ୍ୟ ସରିଯାଇଥିବା ବେଳେ ସ୍କୁଲ ରୂପାନ୍ତରିକରଣ କାମ ପୁରୁଣା ସ୍କୁଲ ମଧ୍ୟରେ ହିଁ କରାଯିବାକୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା । ଶେଷରେ ଗ୍ରାମବାସୀ ସ୍କୁଲ ରୂପାନ୍ତରିକରଣ କାମକୁ ବନ୍ଦ କରାଇଥିଲେ । ଆଜି ନବରଙ୍ଗପୁର ପି.ଡି. ଆଇଟିଡିଏ ଅନନ୍ୟା ଦାସ, ବିଡିଓ ସୁକାନ୍ତ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଭଗବାନ ବେହେରା, କନିଷ୍ଟ ଯନ୍ତ୍ରୀ ଦିଲୀପ ମିଶ୍ର, କନିଷ୍ଟ ଯନ୍ତ୍ରୀ ଗୋବିନ୍ଦ କହ୍ନର ସ୍କୁଲ ପରିସରରେ ଗ୍ରାମବାସୀଙ୍କ ସହ ସ୍କୁଲ ରୂପାନ୍ତରିକରଣ କାମ ନେଇ ବହୁ ଆଲୋଚନା କରି ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ପୁରୁଣା ସ୍କୁଲ ସ୍ଥାନରେ ୫ଟି ରୂପାନ୍ତରିକରଣ କୌଣସି କାମ କରାଇ ଦିଆଯିବନାହିଁ ବୋଲି ଜିଦରେ ଅଟଳ ରହିଥିଲେ । ଏନେଇ ଆମେ ପିଡି ଶ୍ରୀମତି ଦାସଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ “ପ୍ରସ୍ତାବିତ ସ୍ଥାନଟି ଜଙ୍ଗଲ କିସମ ଥିବା ଯୋଗୁଁ ଏହାକୁ ପର୍ଯ୍ୟାୟକ୍ରମେ କିସମ ବଦଳାଇ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବସ୍ଥା ଆପଣେଇ ପାଇଁ ଚେଷ୍ଟା କରାଯିବ ଓ ସମୟସୀମା ଭିତରେ ଯଦି ୫ଟି ରୂପାନ୍ତରିକରଣ କାମ ହୋଇନପାରେ ତେବେ ୪ର୍ଥ ପର୍ଯ୍ୟାୟରେ ୫ଟି ରୂପାନ୍ତରିକରଣ କାମ କରାଯିବ” ।

Post a Comment