କିମ୍ବଦନ୍ତୀରେ ରାଜ ଚାଉଁରିଆ

ଦିବାସୀ ଅଦ୍ୟୁସିତ ଆମ କୋଡିଙ୍ଗା । ଓଡିଆ ବରଷ ଓ ମାସ ହିସାବରେ ବାର ମାସକୁ ତେର ପର୍ବ କୁହାଯାଉଥିବା ବେଳେ ଏହାର ସମ୍ପୂର୍ଣ ବ୍ୟତିରେକ ଦେଖାଦିଏ ଆମ ଏହି ଅଞ୍ଚଳରେ । ବାର ମାସ ସତ କିନ୍ତୁ ପର୍ବ ପର୍ବାଣି ମିଶାଇଲେ ହୁଏ ୩୦ରୁ ୩୫ ପର୍ବ ପୁଣି ସେହି ଅନୁପାତରେ ପୂଜିତ ହୁଅନ୍ତି ଗ୍ରାମରେ ବିଭିନ୍ନ ଦେବାଦେବୀ । ସେଇ ମଧ୍ୟରୁ ଭଗବାନ “ଚାଉଁରିଆ” ଅନ୍ୟତମ । କିମ୍ବଦନ୍ତୀ କହେ ଯେ କୋଷାଗୁମୁଡା ବ୍ଲକ ଠାରୁ ଆରମ୍ଭ କରି ନବରଙ୍ଗପୁର ଜିଲ୍ଲା, ରାୟଗଡା ଜିଲ୍ଲା o କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭଗବାନ ଚାଉଁରିଆ ଅନାଦି କାଳରୁ ପୂଜା ପାଇଆସୁଥିବା କିମ୍ବଦନ୍ତୀ କହେ । ଏହି ଅଞ୍ଚଳକୁ ଛାଡିଦେଲେ ଅନ୍ୟ ଅଞ୍ଚଳରେ ପୂଜା ପାଇବା ନେଇ ସେମିତି କିଛି ବର୍ଣନା ନାହିଁ । ଚାଉଁରିଆ ଦେବଙ୍କ ବିଭିନ୍ନ ରୂପ ଥିଲେ ହେଁ ପ୍ରାୟ ଆମ ଅଞ୍ଚଳରେ ବୀର ଚାଉଁରିଆ, ବୁଢା ଚାଉଁରିଆ, ଏବଂ ରାଜା ଚାଉଁରିଆ ଭାବରେ ପୂଜିତ ହେଉଛନ୍ତି ଭଗବାନ ଚାଉଁରିଆ । କୋଡିଙ୍ଗା ଠାରେ ପୂଜିତ ଅଧିଷ୍ଠାତା ଦେବ ରାଜା ଚାଉଁରିଆ ।
ମାଁ ଜଳନି ବୁଢୀ (ଯାହାକୁ ଆମ ଆଞ୍ଚଳିକ ଭାଷାରେ ଜଳ କାମିନୀ କହିଥାଉ)। ପ୍ରାୟ ଦୁଇ ଶହ ବର୍ଷ ପୂର୍ବର କଥା । ନାଳଟିଏ ଥାଏ । ଜଳନି ବୁଢୀ ନିକଟରୁ ଆସି ଅକାତ ଜଳ ପରିପୂର୍ଣ “ବାଲିକୁଣ୍ଡଠାରେ” ରାଜା ଚାଉଁରିଆ ଦେବ ଥିବାନେଇ ସ୍ଵପ୍ନାଦେଶ ହେଲେ ଗ୍ରାମର କିଛି ମାନ୍ୟଗଣ ବ୍ୟକ୍ତିଙ୍କୁ । ସ୍ଵପ୍ନା ଦେଶ ବିଜୁଳି ବେଗରେ ବଢିଯିବା ପରେ ଅଞ୍ଚଳର ଲୋକ ଯାଇ ପହଞ୍ଚିଯାଇଥିଲେ ବାଲିକୁଣ୍ଡଠାରେ । ବାଜା ବାଜଣା ସାଙ୍ଗକୁ ପୂଜାପାଠ ଆରମ୍ଭ ହୋଇଗଲା । ସମସ୍ତେ ଭଗବାନ ରାଜା ଚାଉଁରିଆଙ୍କୁ ପୂଜା ପାଠ କରି ନୂଆ ଗାମୁଛା ଖଣ୍ଡେ ଖଣ୍ଡେ ନେଇ ଆବାହନ କରିବାକୁ ଲାଗିଲେ । କିନ୍ତୁ ରାଜା ଚାଉଁରିଆ କାହାରି ନିକଟକୁ ଆସିଲେ ନାହି । ସମସ୍ତେ ଆଶ୍ଚର୍ଯ୍ୟ ନିଜେ ସ୍ଵପ୍ନାଦେଶ ହୋଇ କାହିଁକି ଭଗବାନ ଆସୁନାହାନ୍ତି । ସବୁ ଆଡେ ଭାଳେଣି ପଡିଗଲା । କରିବେ କଣ ? ସୃଷ୍ଟିର ସଂରଚନା ଥିଲା ଅଲଗା । ପୁଣି ଭଗବାନ ରାଜ ଚାଉଁରିଆ ଜଣକ ଦେହରେ ଆସି କହିଲେ ନୂଆଗୁଡା ଗାଁରେ ଥିବା ବୁଟୀ କମାର ଏବଂ ତାଙ୍କ ସ୍ତ୍ରୀଙ୍କୁ ଡାକି ଆଣିବା ସହ ତତ୍କାଳୀନ ସମୟରେ ଚମଡାରେ ତିଆରି ଯନ୍ତର ଘାନା ନେଇ ଆସିବାକୁ କହିଲେ । ଯେଉଁ ମାନେ କି ଜାତିରେ କମାର ସମ୍ପ୍ରଦାୟର ଅଟନ୍ତି । ଏହାପରେ ବୁଟୀ କମାର ଏବଂ ତାଙ୍କ ସ୍ତ୍ରୀ ଆସି ପୂଜାର୍ଚନା କରିଲେ । ବୁଟୀ କମାର ଯନ୍ତର ଘାନା ସହ ଦୁଇ ଗୋଡରେ କୁଦା କୁଦି କଲାବେଳେ ସ୍ତ୍ରୀ ନୂଆ ଗାମୁଛା ନେଇ ରାଜା ଚାଉଁରିଆଙ୍କୁ ସ୍ମରଣକଲା ପରେ ଅକାତ ଜଳ ପରିପୂର୍ଣ ବାଲିକୁଣ୍ଡର ମୁହାଣରେ ଲାଗିଲେ ରାଜା ଚାଉଁରିଆ । ଥିଲା ସୂର୍ଯ୍ୟଙ୍କ ଭଳି ତେଜ ଆଉ ସ୍ଵର୍ଣଭଳି ପିଣ୍ଡୁଳା । ଏହାପରେ ବାଲିକୁଣ୍ଡ ଠାରୁ ରାଜା ଚାଉଁରିଆଙ୍କୁ ଆଣିବା ପାଇଁ କରାଗଲା ପ୍ରୟାସ । ସେହି ସମୟରେ ସବୁଆଡେ ଖାଲି ଜଙ୍ଗଲ । ମୋଟା ମୋଟା ସିଆଡି ଗଛର ମାଳନେଇ ସେଇ ସୂର୍ଯ୍ୟଙ୍କ ଭଳି ତେଜ ଥିବା ପିଣ୍ଡୁଳାକୁ ବନ୍ଧାହେଲା । ସମସ୍ତ ଉପସ୍ଥିତ ଲୋକ ମାନେ ବହିକି ଆଣିବା ପାଇଁ ପ୍ରୟାସ କଲାବେଳେ ସମସ୍ତ ସିଆଡି ଗଛର ମାଳ ମାନ ଛିଣ୍ଡିଯାଇଥିଲା । ନେବା ପ୍ରୟାସର ବିଫଳତା ପରେ ପୁନର୍ବାର ଭଗବାନଙ୍କୁ ସମସ୍ତେ ସ୍ମରଣ କରିବା ପରେ ରାଜା ଚାଉଁରିଆ ଦେବ ଜଣକ ଦେହକୁ ଆସି ନିର୍ଦ୍ଧେଶ ଦେଲେ ଯେ ସେ ଚାଣ୍ଡାଳ ମାନଙ୍କ ଦ୍ଵାରା ବୁଣା ଯାଇଥିବା କାଣ୍ଡିସୂତାକୁ ସାତ ପରସ୍ତ କଲାପରେ ତହିରେ ବନ୍ଧା ହେବ ସେଥିରେ ସେ ଆସିବେ କିନ୍ତୁ ସର୍ତ ଥିଲା ଯେଉଁ ଜାଗାରେ ସୂତା ଛିଣ୍ଡିବ ସେଇ ଜାଗାରୁ ଆଉ ରାଜା ଚାଉଁରିଆ ଆଗକୁ ଯିବେ ନାହିଁ । ଏହାପରେ ସମସ୍ତେ ଚାଣ୍ଡାଳ ଜଣକଦ୍ଵାରା ବୁଣା ଯାଇଥିବା କାଣ୍ଡିସୂତା ଆଣି ସାତ ପରସ୍ତ କରି ବନ୍ଧା ହେଲା । ଆଉ ସୂର୍ଯ୍ୟଙ୍କ ଭଳି ତେଜ ଆଉ ସ୍ଵର୍ଣଭଳି ପିଣ୍ଡୁଳା ପ୍ରତିମା କୁ ଆଣାଯାଉଥିଲା କି ଘଟିଗଲା ଆଉ ଏକ ଅଘଟଣ । ନା ପୂର୍ବରୁ ଚାରିଆଡେ ଖାଲି ଜଙ୍ଗଲ ହୋଇକି ଥିଲା । ବାଲିକୁଣ୍ଡ ଠାରୁ ଜନବସତି ଆଡକୁ ଆଣିଲା ବେଳକୁ ରାସ୍ତା ନଥିବା ଲାଖବିନ୍ଧା ଜଙ୍ଗଲରେ ଛିଣ୍ଡି ପଡିଥିଲା ବନ୍ଧା ଯାଇଥିବା ସୂତା । ଆଉ ସେଇଠାରେ ଅଟକି ଗଲେ ସୂର୍ଯ୍ୟଙ୍କ ଭଳି ତେଜ ଆଉ ସ୍ଵର୍ଣଭଳି ପିଣ୍ଡୁଳାର ପ୍ରତିମା ରାଜ ଚାଉଁରିଆ । ସେହି ଦିନ ଠାରୁ ଉକ୍ତ ସ୍ଥାନରେ ପୂଜା ପାଇଆସୁଛନ୍ତି ରାଜା ଚାଉଁରିଆ । ବର୍ତମାନ ଉକ୍ତ ସ୍ଥାନରେ ଏକ ମନ୍ଦିର ନିର୍ମାଣ ହୋଇଅଛି । ପ୍ରଥମରୁ ଏହି ମନ୍ଦିରରେ କମାର ସମ୍ପ୍ରଦାୟର ପୂଜକ ମାନେ ପୂଜା କରି ଆସୁଥିଲେ । କୁକୁଡା ଡାକିବା ପୂର୍ବରୁ ନୂଆଗୁଡା ଠାରୁ ବୁଟୀ କମାର ଏବଂ ତାଙ୍କ ଦାୟାଦ ମାନେ କୋଡିଙ୍ଗା ଆସି ରାତିରେ ହିଁ ପୂଜା କରି ରାତାରାତି ଚାଲି ଯାଉଥିଲେ । ଲୋକେ ଲାଗି ଥିବା ଦୀପ, ଫୁଲ ଏବଂ ଭୋଗ ଦେଖି ପୂଜାରୀ ଆସି ପୂଜାକରିଥିବା ନେଇ ସୂଚନା ପାଉଥିଲେ । ଏହାପରେ ସର୍ବସାଧାରଣ ପୂଜାର୍ଚନା କରୁଥିଲେ । ଚାଲି ଆସିଥିବା ପୂଜା ପରମ୍ପରାରେ ଉକ୍ତ ଦେବଙ୍କ ନିକଟରେ ବିଭିନ୍ନ ପଶୁପକ୍ଷୀ ବଳି ଦେଇ ପୂଜା କରାଯାଉଥିଲା । କୋଡିଙ୍ଗାଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସମୟରେ ପୁରୀ ରାଜା ମନ୍ଦିର ପ୍ରତିଷ୍ଠାରେ ଯୋଗଦେଇ କୋଡିଙ୍ଗାଠାରେ ଚଳନ୍ତି ବିଷ୍ଣୁ ଠାକୁର ଥିବା ନେଇ ସୂଚିତ କରିବା ସହ ରାଜ ଚାଉଁରିଆ ହିଁ ଚଳନ୍ତି ବିଷ୍ଣୁ ଠାକୁରଙ୍କ ଅବତାର ବୋଲି କହିଥିଲେ । ଜଗନ୍ନାଥ ପରମ୍ପରାର ଅନେକ ସାମଞ୍ଜସ୍ୟ ରାଜ ଚାଉଁରିଆଙ୍କ ପରମ୍ପରାରେ ଥିବା ନେଇ କହିଥିଲେ ପୁରୀ ଗଜପତି ମହାରାଜ । ସେହି ଦିନ ଠାରୁ ଚଳନ୍ତି ଠାକୁର ରାଜା ଚାଉଁରିଆଙ୍କ ନିକଟରେ ବଳି ପ୍ରଥା ଉଛେଦ କରାଯାଇ ବୈଦିକ ରୀତିନୀତି ଅନୁଯାଇ ଶୁକ୍ଳଭୋଗ ଲାଗି କରାଯାଇଥାଏ । ଚାଲି ଆସିଥିବା ଆମର ଅଞ୍ଚଳର ବଳି ପରମ୍ପରା ନେଇ ମନ୍ଦିର ବାହାରେ ଥିବା ଦ୍ଵାରପାଳ ନିକଟରେ ବଳି ଦିଆଯାଇଥାଏ ।
ବର୍ଷର ଜ୍ୟେଷ୍ଠ ମାସରେ ରାଜା ଚାଉଁରିଆଙ୍କ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ବିଭିନ୍ନ ୨୪ ପାଲି (୨୪ଟି ଅଞ୍ଚଳକୁ ବୁଝାଏ) ର ଲୋକ ମାନେ ଏକତ୍ରିତ ହୋଇଥାନ୍ତି । ଲାଠି, ବିମାନ ,କୁର୍ଚି ବାଜାବାଜଣା ସାଙ୍ଗକୁ ରୀତିନୀତି ଅନୁଯାଇ ପୂଜାପାଠ କରାଯାଇଥାଏ । ମନରଞ୍ଜନ ପାଇଁ ଅନେକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ । ବିଶ୍ବାସ ରହିଛି ଯେ କୌଣସି ସ୍ଥାନରୁ ଠାକୁର ରାଜା ଚାଉଁରିଆଙ୍କ ନାମ ନେଇ ସ୍ମରଣ କଲେ ଠାକୁର ସମସ୍ତଙ୍କ ଗୁହାରି ଶୁଣି ମନସ୍କାମନା ପୂରଣ କରିଥାନ୍ତି ।
ରାଜ୍ୟର ଅନ୍ୟଅଞ୍ଚଳସହ ଆମ ଅଞ୍ଚଳକୁ ତୁଳନା କଲେ ଲାଗେ ଦୁର୍ଭାଗ୍ୟର ବିଷୟ ଆମ ଅଞ୍ଚଳପ୍ରତି ଆମର ହେଉ ଅବା ପ୍ରଶାସନର କୋହଳ ତଥା ବୈମାତୃକ ମନଭାବ । ପ୍ରଚାର ପ୍ରସାରର ଅଭାବ ଯୋଗୁଁ ବୋଧେ ପର୍ଯ୍ୟଟନର “ପ” ଅକ୍ଷର ଟିଏ ଲାଗି ପାରିଲା ନାହି ଆମ କୋଷାଗୁମୁଡା ବ୍ଲକର କିମ୍ବଦନ୍ତୀ, ଐତିହାସିକ ମନ୍ଦିର ଏବଂ ଦେବାଦେବୀଙ୍କ ଠାରେ । “ପ୍ର” ଜାଗାରେ ଅଳ୍ପ ଟିକିଏ ଚେଷ୍ଟା ଲାଗିଗଲେ ବୋଧେ ସେଇଦିନ ଦୂର ନ ଥାନ୍ତା କି ଆମ ଅଞ୍ଚଳର କିମ୍ବଦନ୍ତୀ, ଐତିହାସିକ ମନ୍ଦିର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇପାରିଥାନ୍ତା ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.