ନାମକୁ ମାତ୍ର ମଣ୍ଡି କିଣାଯାଉନି ମକା, ହତାଶ ମକାଚାଷୀ
କେବଳ ଉଦଘାଟନରେ ରହିଯାଉଛି ମକାମଣ୍ଡି । ନା କିଣା ଯାଉଛି ମଣ୍ଡିରେ ମକା ନା ବିକ୍ରି କରି ଲାଭବାନ ହେଉଛନ୍ତି ଚାଷୀ । ନାମକୁ ମାତ୍ର ସରକାର ମକାମଣ୍ଡି ଉଦଘାଟନ କରି ଚାଷୀଙ୍କୁ ଅସୁବିଧାର ଦ୍ଵାରଦେଶକୁ ଠେଲିଦେଇ ଚୁପ ବସି ରହୁଛନ୍ତି । ଶେଷରେ ଚାଷୀ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ବିକ୍ରି କରିନପାରି ଚାଷୀ ବଜାରକୁ ନିୟନ୍ତ୍ରିତ କରୁଥିବା ଦଲାଲଙ୍କ ଜାଲରେ ଛନ୍ଦିହୋଇ ଅଭାବ ବିକ୍ରିର ଶିକାର ହୋଇପଡୁଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମକାଚାଷୀ । ଏକଦା ସମଗ୍ର ଏସିଆ ମହାଦେଶରେ ମକା ଉତ୍ପାଦନ ପାଇଁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଠୀ କରିଥିବା ନବରଙ୍ଗପୁର ଜିଲ୍ଲା, କୋଷାଗୁମୁଡା ବ୍ଲକର ମକାଚାଷୀ ଏବେ ମକା ଅଭାବ ବିକ୍ରିର ସାମନା କରିଛନ୍ତି । ମଣ୍ଡିରେ ଗୋଟିଏ ହେଲେ ମକା ମଞ୍ଜି କିଣାଯାଇନଥିବା ବେଳେ ବ୍ଲକ ମକାଚାଷୀମାନେ ଶାଗମାଛ ଦରରେ ବ୍ୟବସାୟୀଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । କୋଷାଗୁମୁଡା ବ୍ଲକ ଚଳିତବର୍ଷ ଖରିଫରେ ମୋଟ ୬୮୦୦ ହେକ୍ଟର ଜମିରେ ବ୍ଲକର ଚାଷୀ ମକାଚାଷ କରିଛନ୍ତି । ଗତ ବର୍ଷ ବ୍ଲକ ମକାଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଠୀରେ ରଖି ସରକାରଙ୍କ ଦ୍ଵାରା ଖରିଫ ମକାମଣ୍ଡି ବ୍ଲକର ବଡଆମ୍ବଡା ଓ କୋଡିଙ୍ଗାଠାରେ ଡିସେମ୍ବର ମାସ ଦ୍ଵିତୀୟ ସପ୍ତାହରେ ଉଦଘାଟନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ମକାଚାଷୀଙ୍କ ଠାରୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଫୋର୍ମ ଯୋଗେ ମକା ବିକ୍ରି ପାଇଁ ଆବେଦନ ଗ୍ରହଣ ମଧ୍ୟ କରଯାଇଥିଲା । ମକାମଣ୍ଡିରେ ପ୍ରାୟ ୧୮୦୦ଟଙ୍କା ପ୍ରତି କୁଇଣ୍ଟାଲରେ ବିକ୍ରି କରିବା ପାଇଁ ଚାଷୀଙ୍କ ପାଇଁ ଧାର୍ଯ୍ୟ କରଯାଇଥିଲା ସତ କିନ୍ତୁ କୌଣସି ଏଜେନ୍ସି କିମ୍ଭା ନିୟନ୍ତ୍ରିତ ବଜାର କମିଟି ମକାକ୍ରୟ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସ୍ଥାନୀୟ ଚାଷୀ ମାନେ କୁଇଣ୍ଟାଲ ପ୍ରତି ୧୨୦୦ରୁ ୧୩୦୦ ଟଙ୍କାରେ ମାକ ବିକ୍ରି କରୁଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ଚାଷୀଙ୍କ ସମସ୍ୟା ଶୁଣିବାକୁ କେହି ନଥିବା ବେଳେ ଏବେ ମକାଚାଷୀଙ୍କ ଆଶା ମଉଳି ଯାଇଛି ମକାଚାଷ ପ୍ରତି । ସାର ଅଭାବ, ପ୍ରତିକୂଳ ପାଗ, ମଜୁରିର ମୂଲ୍ୟ ବୃଦ୍ଧି, ସାର ବିହନ ମୂଲ୍ୟବୃଦ୍ଧି ନେଇ ଚଳିତବର୍ଷ ଋଣ ଗ୍ରସ୍ତ ମକାଚାଷୀ ଚାଷ କରିଥିବା ମକା କିପରି ଋଣ ପରିଶୋଧ କରିବେ ସେନେଇ ଚାଷୀ ଏବେ ମୁଣ୍ଡରେ ହାତ ଦେଇବସିଛନ୍ତି । ଜିଲ୍ଲା ପ୍ରଶାସନ ମକା ମଣ୍ଡି ପ୍ରତି ସ୍ଵତନ୍ତ୍ର ଦ୍ରୁଷ୍ଟି ଦେଇ ମଣ୍ଡିର ସୁପରିଚାଳନା ଓ ଚାଷୀଙ୍କ ବିକ୍ରି ନେଇ ବ୍ୟବସ୍ଥା କରିବା ପାଇଁ ବ୍ଲକ ମକଚାଷୀ ଦାବି କରିଛନ୍ତି ।

Post a Comment