Articles by "ଖେଳ"

Showing posts with label ଖେଳ. Show all posts


 ୦୫।୦୨(ଖବର ଆମ ଅଞ୍ଚଳର) : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର କୋଡିଙ୍ଗା ପଞ୍ଚାୟତ ମିନି ଷ୍ଟାଡିୟମଠାରେ ଆଜି ରାଜା ଚାଉଁରିଆ ଅନ୍ତ-ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବ୍ଲକ ଅଧ୍ୟକ୍ଷା ସର୍ବେଶ୍ଵରୀ ମାଝୀ, କୋଡିଙ୍ଗା ତହସିଲଦାର ଟିକୁନୁ ପୁଟା, କୋଡିଙ୍ଗା ରେଞ୍ଜର କାମେଶ୍ଵର ଆଚାରୀ ଯୋଗ ଦେଇ ଟୁର୍ଣାମେଣ୍ଟଟିର ଉଦଯାପିତ ମ୍ୟାଚକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଗତ ଜାନୁଆରୀ ମାସ ୧୬ ତାରିଖରୁ ଆୟୋଜିତ ଏହି ଫୁଟବଲ ଟୁର୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ସେମିଫାଇନାଲ ମ୍ୟାଚରେ  ବଡମସିଗାଁ ଦଳ ଓ କୋକଡି ସେମଳା ଦଳକୁ ପେନାଲଟି ସୁଟଆଉଟରେ ବିଜୟ ହୋଇ ଫାଇନାଲକୁ ପ୍ରବେଶ କରିଥିବା ବେଳେ ତାରାଗାଁ ଦଳ ଗିର୍ଲା ଦଳକୁ ୧-୦ଗୋଲରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲା । ଆଜିର ଏହି ସଂଘର୍ଷ ପୂର୍ଣ୍ଣ ରୋମାଞ୍ଚକ ଫୁଟବଲ ମ୍ୟାଚରେ ତାରାଗାଁ ଦଳ ୨-୧ ଗୋଲରେ ବିଜୟ ଲାଭ କରିଥିଲା । ବିଜେତା ତାରାଗାଁ ଦଳକୁ ଟ୍ରଫି ସହ ୧୬ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା ଦଳକୁ ଟ୍ରଫି ସହ ୧୨ ହଜାର ଟଙ୍କା ପ୍ରଦାନ କରଯାଇଥିଲା । ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ସମେତ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ କ୍ଷୀରଦ ନାୟକମୋହନ ମାଝୀତ୍ରିଲୋଚନ ଧାକଡ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ପୁରସ୍କାର ବିତରଣୀ ମଞ୍ଚରେ ଟୁର୍ଣାମେଣ୍ଟ ପରିଚାଳନା ସଭାପତି ବଦ୍ରି ନାରାୟଣ ସିଂ ସଭାପତିତ୍ଵ କରିଥିବା ବେଳେ ରେଫେରି ଜଉଲ ହୁସେନ, ସମୀର ଓ ଭିକି ପରିଚାଳନା କରିଥିଲେ । ସ୍ଥାନୀୟ ମୃତ ଖେଳାଳୀଙ୍କ ସ୍ମୃତି ଓ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଆୟୋଜିତ ଏହି ଫୁଟବଲ ଟୁର୍ଣାମେଣ୍ଟ ରାଜ ଚାଉଁରିଆ ସ୍ପୋର୍ଟିଂ କ୍ଲବ ପରିଚାଳନା କରିଥିଲେ ।

(26ଜାନୁଆରୀ2023)ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଗତକାଲି ବାର୍ଷିକ କ୍ରୀଡ଼ା ୨୦୨୩ ଅନୁଷ୍ଠୀତ ହୋଇଯାଇଛି । ଚଳିତ ମାସ ୧୮ରୁ ଆରମ୍ଭ ହୋଇଥିବା ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଉତ୍ତମ କ୍ରୀଡା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରଯାଇଥିଲା । ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷା ଅମିତା ରାୟ ସଭାପତିତ୍ଵ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିବେକ କୁମାର ମହାଲିକ, ଅଧ୍ୟାପକ ପଞ୍ଚାନନ ଦୁରିଆ, ଲାଇବ୍ରେରିଏନ ସସ୍ମିତା ପ୍ରଧାନ, ଡେମଟ୍ରେଟର ଦେବକୀ ଦିଶାରି, ସିମାଞ୍ଚଳ ପଟ୍ଟନାୟକ ଯୋଗଦେଇ ପିଲାମାନଙ୍କ ଭବିଷ୍ୟତରେ ଖେଳର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । କିଭଳି ଖେଳକୁ ନେଇ ନିଜର ଭବିଷ୍ୟତ ଗଢା ଯାଇପାରିବ ସେ ନେଇ ମଞ୍ଚାସୀନ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ଅଧ୍ୟାପକ ରବି ନାରାୟଣ ପାଣିଗ୍ରାହୀ ସଂଚାଳନ କରିଥିବା ବେଳେ ଖେଳ ଶିକ୍ଷକ ପ୍ରଦୀପ୍ତ କୁମାର ସାମନ୍ତ ପରିଚାଳନା କରିଥିଲେ । ଶେଷରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଚିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ |

କୋଷାଗୁମୁଡା ବ୍ଲକ ସଦର କୋଡିଙ୍ଗା ପଞ୍ଚାୟତ ମିନି ଷ୍ଟାଡିୟମଠାରେ ଆଜି ରାଜା ଚାଉଁରିଆ ଅନ୍ତ-ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସର୍ବେଶ୍ଵରୀ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଟୁର୍ଣାମେଣ୍ଟଟିକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି ଫୁଟବଲ ଟୁର୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବାକୁ ସ୍ଥିର ହୋଇଥିବା ବେଳେ ଆଜି ଅନୁଷ୍ଠିତ ଉଦଘାଟନୀ ମ୍ୟାଚ କୋଷାଗୁମୁଡା ଦଳ ଓ କୋକଡି ସେମଳା ମଧ୍ୟରେ ଅନୁଷ୍ଠିତ ହୋଇଥଲା । ଆଜିର ଏହି ସଂଘର୍ଷ ପୂର୍ଣ୍ଣ ରୋମାଞ୍ଚକ ଫୁଟବଲ ମ୍ୟାଚରେ ଉଭୟ ଦଳ ୧-୧ ଗୋଲରେ ସମାନ ହୋଇ ଖେଳଟି ଟାଇ ହୋଇ ରହିଥିଲା । ଏହାପରେ ପେନାଲଟି ସୁଟ ଆଉଟରେ କୋକଡି ସେମଳା ଦଳକୁ ବିଜେତା ଘୋଷିତ କରଯାଇଥିଲା । ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଲେଖ ଚରଣ ମାଝୀ, ଧରମ ସିଂ, ଚିତ୍ତ ରଞ୍ଜନ ଦାସ, ଧନସିଂ ମାଝୀ, ବାବୁଲି ବାଘ, ମୋହନ ମାଝୀ, ତ୍ରିଲୋଚନ ଧାକଡ, ଲକ୍ଷ୍ମଣ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଟୁର୍ଣାମେଣ୍ଟର ମଞ୍ଚରେ ଟୁର୍ଣାମେଣ୍ଟ ପରିଚାଳନା ସଭାପତି ବଦ୍ରି ନାରାୟଣ ସିଂ ସଭାପତିତ୍ଵ କରିଥିବା ବେଳେ ରେଫେରି ହରେକୃଷ୍ଣ ପୂଜାରୀ, ନନ୍ଦ ଭତରା ଓ ଭିକି ପରିଚାଳନା କରିଥିଲେ । ସ୍ଥାନୀୟ ମୃତ ଖେଳାଳୀଙ୍କ ସ୍ମୃତି ଓ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏହି ଫୁଟବଲ ଟୁର୍ଣାମେଣ୍ଟ ଆୟୋଜନ କରାଯାଇଥିବା ବେଳେ ରାଜ ଚାଉଁରିଆ ସ୍ପୋର୍ଟିଂ କ୍ଲବ ଏହାକୁ ପରିଚାଳନା କରୁଅଛି ।

 


 ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡିଙ୍ଗା ଇନ୍ଦିରା ଗାନ୍ଧୀ ମିନି ଷ୍ଟାଡିୟମ ଠାରେ ଆଜି ପଞ୍ଚାୟତସ୍ଥରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ସଭ୍ୟ କେମରାଜ ଦିଶାରୀ, ନାଏବ ସରପଞ୍ଚ ଉର୍ଦ୍ଧବ ଭତ୍ରା, ଅଲେଖ ଚରଣ ମାଝୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟିକି ଚନ୍ଦ୍ର ନାୟକ, ପିଣ୍ଟୁ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । ପୁରୁଷ ହକି ବିଶ୍ଵକପ ଉଦ୍ଦେଶ୍ୟରେ ଖେଲାଯାଇଥିବା ଫୁଟବଲ ଖେଳଟି କୋଡିଙ୍ଗା ଓ ସର୍ଗିପାଲି ମଧ୍ୟରେ ଖେଳାଯାଇଥିଲା । ନିର୍ଧାରିତ ସମୟ ମଧ୍ୟରେ କୋଡିଙ୍ଗା ଦଳ ୨ଗୋଲ କରି ବିଜୟୀ ହୋଇଥିଲା । ଆଜିର ଖେଳକୁ ରେଫେରି ଶତ୍ରୁଘନ ମାଝୀ, ସୁରେଶ ମାଝୀ ଓ ହରେକୃଷ୍ଣ ପୂଜାରୀ ପରିଚାଳନା କରିଥିଲେ । ବିଜୟ ଦଳ ଓ ଉପ ବିଜେତା ଦଳକୁ ସ୍ମାରକୀ ଦେଇ ପୁରସ୍କୃତ କରାଯାଇ ବ୍ଲକ ସ୍ତରକୁ ମନୋନିତ କରାଯାଇଛି ।

ଖବର ଆମ ଅଞ୍ଚଳର:୧୦/୦୨-ଇତିହାସ ରଚିଲା ବାଂଲାଦେଶ ଯୁବ କ୍ରିକେଟ୍ ଟିମ୍। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ରବିବାର ଖେଳାଯାଇଥିବା ଫାଇନାଲରେ ବାଂଲାଦେଶ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ୩ ୱିକେଟରେ ହରାଇ ପ୍ରଥମଥର ଟାଇଟଲ୍ ଜିତିବାର ସ୍ୱାଦ ଚାଖିଛି। ଅନ୍ୟପକ୍ଷରେ ଖରାପ ବ୍ୟାଟିଂ କାରଣରୁ ଭାରତ ଟାଇଟଲ୍ ବଜାୟ ରଖିବାରେ ବିଫଳ ହୋଇଛି। ଫାଇନାଲ୍ ମୁକାବିଲା ଆଶା ମୁତାବକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଯଶସ୍ୱୀ ଜୈଶ୍ୱାଲଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଭାରତୀୟ ଟିମ୍ ବାଂଲାଦେଶ ବୋଲରଙ୍କୁ ସାମ୍ନା କରିନପାରି ୪୭.୨ ଓଭରରେ ୧୭୭ ରନ୍ କରି ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଯଶସ୍ୱୀ ପୁଣିଥରେ ଦମଦାର ବ୍ୟାଟିଂ କରି ୮୮ (୧୨୧ ବଲ୍‌, ୮ ଚୌକା, ୧ ଛକା) ରନର ଇନିଂସ୍ ଖେଳିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିନଥିଲେ। ୧୭୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ୪୧ ଓଭରରେ ୭ ୱିକେଟ୍ ହରାଇ ୧୬୩ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଏହା ପରେ ଡିଏଲ୍ ନିୟମ ଅନୁଯାୟୀ, ବାଂଲାଦେଶ ଆଗରେ ୪୬ ଓଭରରେ ୧୭୦ ରନର ନୂଆ ଟାର୍ଗେଟ୍ ରଖାଯାଇଥିଲା ବାଂଲାଦେଶ ୪୨.୧ ଓଭରରେ ୭ ୱିକେଟ୍ ହରାଇ ଏହି ଲକ୍ଷ୍ୟକୁ ହାସଲ କରିବା ସହ ନୂଆ ବିଶ୍ୱ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। କ୍ୟାପଟେନ୍ ଆକବର୍ ଅଲୀ ୪୩ ଓ ରକିବୁଲ୍ ହାସନ୍ ୯ ରନରେ ଅପରାଜିତ ରହି ବାଂଲାଦେଶକୁ ଜିତାଇଛନ୍ତି। ମ୍ୟାଚରେ ବାଂଲାଦେଶ କ୍ୟାପଟେନ୍ ଆକବର୍ ଅଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆରମ୍ଭରୁ ବାଂଲା ପେସ୍ ଆଟାକ୍ ନିଜ ସୁଇଂ ବଳରେ ଭାରତର ଦୁଇ ଓପ୍ନର ଯଶସ୍ୱୀ ଓ ଦିବ୍ୟାଂଶ ସାକ୍ସେନାଙ୍କୁ ବାନ୍ଧି ରଖିଥିଲେ । ଫଳସ୍ୱରୂପ ଭାରତ ତାର ପ୍ରଥମ ଓଭରରେ ସପ୍ତମ ଓଭରରେ ହରାଇଥିଲେ । ଭଲ ଫର୍ମରେ ଥିବା ଦିବ୍ୟାଂଶ ମାତ୍ର ୨ ରନ୍ କରି ଅଭିଷେକ ଦାସଙ୍କ ଶିକାର ହୋଇଥିଲେ। ଏହା ପରେ ଯଶସ୍ୱୀ ଓ ତିଳକ ବର୍ମା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ଏବଂ ଦ୍ୱିତୀୟ ୱିକେଟ୍ ପାଇଁ ୯୪ ରନର ଭାଗୀଦାରୀ କରି ଭାରତକୁ ଭଲ ସ୍ଥିତିରେ ପହଞ୍ଚାଥିଲେ। ତିଲକ ୩୮ (୬୫ ବଲ୍‌, ୩ ଚୌକା) ରନ୍ କରି ତାଞ୍ଜିମ ହାସନ୍ ସାକିବଙ୍କ ବଲରେ ଆଉଟ୍ ହୋଇଥିଲେ। କ୍ୟାପଟେନ୍ ପ୍ରିୟମ ଗର୍ଗ (୭) କିଛି ଖାସ୍ କରିପାରିନଥିଲେ। ଯଶସ୍ୱୀ ଓ ୱିକେଟକିପର ଧ୍ରୁବ ଜୁରେଲ୍ ପୁଣିଥରେ ସ୍ଥିତି ସମ୍ଭାଳିଥିଲେ। ଯଶସ୍ୱୀ ଧୀରେ ଧୀରେ ନିଜର ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଶୋରିଫୁଲ୍ ଇସଲାମ୍ ଆଉଟ୍ କରି ବାଂଲାଦେଶକୁ ବଡ଼ ସଫଳତା ଦେଇଥିଲେ। ଏହା ପରେ ଭାରତର ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଭାରତ ତାର ଶେଷ ୭ ୱିକେଟ୍ ମାତ୍ର ୨୧ ରନରେ ହରାଇ ବଡ଼ ସ୍କୋରରୁ ବଞ୍ଚିତ ହୋଇଥିଲେ। ଭାରତ ଇନିଂସରେ ଦୁଇଟି ରନଆଉଟ୍ ମଧ୍ୟ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଧ୍ରୁବ ୨୨ ରନ୍ କରିଥିବା ବେଳେ ସିଦ୍ଦେଶ ବୀର (୦), ଅର୍ଥବ ଅଙ୍କୋଲେକର୍ (୩), ରବି ବିଶ୍ନୋଇ (୨), ସୁଶାନ୍ତ ମିଶ୍ର (୩), କାର୍ତ୍ତିକ ତ୍ୟାଗି (୦) ଦୁଇଅଙ୍କ ଛୁଇଁପାରିନଥିଲେ । ବାଂଲାଦେଶ ପକ୍ଷରୁ ଅଭିଷେକ ଦାସ ୩ଟି, ଶୋରିଫୁଲ୍ ଇସଲାମ୍ ଓ ତାଞ୍ଜିମ୍ ହାସନ୍ ସାକିବ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ୧୭୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଜବରଦସ୍ତ ଆରମ୍ଭ କରିଥିଲା। ଦୁଇ ଓପ୍ନର ପରଭେଜ୍ ହୁସେନ୍ ଇମୋନ୍ ଓ ତାଞ୍ଜିଦ୍ ହାସନ୍ ପ୍ରଥମ ୱିକେଟ୍ ପାଇଁ ୫୦ ରନର ଭାଗୀଦାରୀ କରିଥିଲେ। ତେବେ ଏହି ଯୋଡ଼ିକୁ ଷ୍ଟାର୍ ସ୍ପିନର୍ ରବି ବିଶ୍ନୋଇ ଭାଙ୍ଗିଥିଲେ। ହାସନ୍ ୧୭ ରନ୍ କରି କାର୍ତ୍ତିକ ତ୍ୟାଗିଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଏହା ପରେ ବାଂଲାଦେଶର ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଇନଫର୍ମ ମହମଦୁଲ୍ଲ ହାସନ୍ ଜୟ (୮), ତୋହିଦ୍ ହୃଦୟ (୦) ଓ ଶାହାଦତ୍ ହୁସେନ୍ (୧)ଙ୍କୁ ମଧ୍ୟ ବିଶ୍ନୋଇ ନିଜର ଶିକାର ବନାଇଥିଲେ। ଏହା ପରେ ସୁଶାନ୍ତ ମିଶ୍ର ଶାମିମ୍ ହୁସେନ୍ (୭) ଓ ଅଭିଷେକ ଦାସ (୫)ଙ୍କୁ ଆଉଟ୍ କରି ଭାରତକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ। ରିଟାୟର୍ଡ ହୋଇ ପ୍ୟାଭିଲିୟନ୍ ଫେରିଥିବା ବେଳେ ଓପ୍ନର ପରଭେଜ୍ ପୁଣିଥରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ କ୍ୟାପଟେନ୍ ଆକବର୍ ଅଲୀଙ୍କ ସହ ମିଶି ସପ୍ତମ ୱିକେଟ୍ ପାଇଁ ୪୧ ରନର ନିର୍ଣ୍ଣାୟକ ଭାଗୀଦାରୀ କରିଥିଲେ। ପରଭେଜ୍ ୪୭ ରନ୍ କରି ଯଶସ୍ୱୀଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ କ୍ୟାପଟେନ୍ ଆକବର୍ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିବା ବେଳେ ତାଙ୍କୁ ରକିବୁଲ୍ ହାସନ୍ ଭରପୂର ସହଯୋଗ କରିଥିଲେ। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ଅପରାଜିତ ୨୭ ରନ୍ ଯୋଡ଼ିଥିଲେ। ଭାରତ ପକ୍ଷରୁ ବିଶ୍ନୋଇ ୩୦ ରନ୍ ଦେଇ ୪ଟି, ସୁଶାନ୍ତ ୨ଟି ଓ ଯଶସ୍ୱୀ ଗୋଟିଏ ୱିକେଟ୍ ନେଇଥିଲେ।


ହୋକିର ଯାଦୁଗର ମେଜୋର ଧ୍ୟାନଚାନ୍ଦ 
ହକି କଥା ଯଦି ମୁହଁରେ ଆସେ, ତାହେଲେ ସର୍ବପ୍ରଥମ ନାଁ ଧ୍ୟାନଚାନ୍ଦଙ୍କର ଆସିବ। ହକିର ଯାଦୁଗରଭାବେ ପରିଚିତ ଭାରତୀୟ କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦ ହକି ଇତିହାସର ସବୁଠାରୁ ମହାନ ଖେଳାଳି। ଧ୍ୟାନଚାନ୍ଦ ନିଜର ଅଦ୍ଭୁତ ଖେଳ ଦ୍ୱାରା ଭାରତକୁ ତିନିଥର ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତାଇଛନ୍ତି। କୁହାଯାଏ, ଧ୍ୟାନଚାନ୍ଦଙ୍କ ଭଳି ହକି ଖେଳାଳି ଆଜି ପର୍ଯ୍ୟନ୍ତ ଜନ୍ମ ନେଇ ନାହାନ୍ତି। ମେଜର ଧ୍ୟାନଚାନ୍ଦଙ୍କୁ ଫୁଟବଲର ପେଲେ ଏବଂ କ୍ରିକେଟର ଡନ୍ ବ୍ରାଡମ୍ୟାନଙ୍କ ସହ ତୁଳନା କରାଯାଏ। ଅଖଣ୍ଡ ଭାରତ ଦେଶର ହକି ଯାଦୁଗର ଭାବେ ପରିଚିତ ଧ୍ୟାନଚାନ୍ଦଙ୍କର ଆଜି ୧୧୪ତମ ଜୟନ୍ତୀ। ଧ୍ୟାନଚାନ୍ଦଙ୍କ ସମ୍ମାନରେ ତାଙ୍କ ଜନ୍ମଦିନ ଅର୍ଥାତ୍ ଅଗଷ୍ଟ ୨୯ ତାରିଖକୁ ପ୍ରତିବର୍ଷ ଭାରତରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ। ତାଙ୍କ ଜୟନ୍ତୀ ଅବସରରେ କିଛି ପୁରୁଣା ସ୍ମୃତିକୁ ମନେ ପକାଇବା।
ପ୍ରାରମ୍ଭିକ ଜୀବନ: ୨୯ ଅଗଷ୍ଟ, ୧୯୦୫ରେ ଆଲ୍ଲାହାବାଦରେ ଧ୍ୟାନଚାନ୍ଦଙ୍କ ଜନ୍ମ ଏକ ରାଜପୁତ ପରିବାରରେ ହୋଇଥିଲା । ତାଙ୍କ ଭାଇ ରୂପ ସିଂହ ମଧ୍ୟ ଭାରତ ପକ୍ଷରୁ ହକି ଖେଳିସାରିଛନ୍ତି। ଧ୍ୟାନଚାନ୍ଦଙ୍କ ପିତାଙ୍କ ନାଁ ରାମେଶ୍ୱର ସିଂହ ଏବଂ ମାଙ୍କ ନାଁ ଶାରଦା ସିଂହ। ଧ୍ୟାନଚାନ୍ଦଙ୍କ ପିତା ବ୍ରିଟିଶ ଭାରତୀୟ ସେନାରେ ଭର୍ତ୍ତି ଥିଲେ ଏବଂ ସେ ସେନା ପକ୍ଷରୁ ହକି ଖେଳିଥିଲେ। ଧ୍ୟାନଚାନ୍ଦଙ୍କର ଦୁଇ ଭାଇ ଥିଲେ। ସେମାନେ ହେଲେ ମୂଲ ସିଂହ ଏବଂ ରୂପ ସିଂହ। ଆର୍ମିରେ ରହିବା କାରଣରୁ ଧ୍ୟାନଚାନ୍ଦଙ୍କ ପିତାଙ୍କର ବିଭିନ୍ନ ସ୍ଥାନକୁ ଟ୍ରାନ୍ସଫର୍ ହେଉଥିଲା। ଏହି କାରଣରୁ ଧ୍ୟାନଚାନ୍ଦଙ୍କ ସ୍କୁଲ ଶିକ୍ଷା ପ୍ରଭାବିତ ହୋଇଥିଲା। ଶେଷରେ ତାଙ୍କ ପରିବାର ଉତ୍ତର ପ୍ରଦେଶର ଝାନସୀରେ ରହିଥିଲେ। ଧ୍ୟାନଚାନ୍ଦ ୧୯୩୨ରେ ଭିକ୍ଟୋରିଆ କଲେଜରେ ଗ୍ରାଜୁଏସନ୍ କରିଥିଲେ। ତେବେ ତାଙ୍କୁ ଆରମ୍ଭରୁ ହକି ପ୍ରତି ସେତେଟା ଆଗ୍ରହ ନଥିଲା, କାରଣ ସେ କୁସ୍ତିକୁ ବହୁତ ପସନ୍ଦ ଥିଲା।
୧୭ ବର୍ଷରେ ସେନାରେ ସାମିଲ୍: ୨୯ ଅଗଷ୍ଟ, ୧୯୨୨ରେ ନିଜର ୧୭ତମ ଜନ୍ମଦିବସରେ ଧ୍ୟାନଚାନ୍ଦ ବ୍ରିଟିଶ ଭାରତୀୟ ସେନାରେ ସାମିଲ୍ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ତାଙ୍କୁ ଭାରତୀୟ ସେନା ଟିମରେ ଚୟନ କରାଯାଇଥିଲା। ଏହି ଗସ୍ତରେ ଟିମ୍ ଭଲ ପ୍ରଦଶୟନ କରି ୧୮ ମ୍ୟାଚ୍ ଜିତିଥିବା ବେଳେ ୨ଟି ଡ୍ରଏବଂ ଗୋଟିଏରେ ପରାସ୍ତ ହୋଇଥିଲା। ଭାରତ ଫେରିବା ପରେ ଧ୍ୟାନଚାନ୍ଦଙ୍କୁ ୧୯୨୭ରେ ଲାନ୍ସ ନାୟକ ଭାବେ ପ୍ରମୋଟ୍ କରାଯାଇଥିଲା। ଶେଷରେ ଧ୍ୟାନଚାନ୍ଦ ୧୯୫୬ରେ ମେଜର ପୋଷ୍ଟରୁ ରିଟାୟର୍ ହୋଇଥିଲେ। ସେ ସେନା ଭାବେ ୩୪ ବର୍ଷ କାର୍ଯ୍ୟ କରିଥିଲେ।
ସ୍ମରଣୀୟ ଉପଲବ୍ଧି: ତାଙ୍କ ବାୟୋଗ୍ରାଫି ଗୋଲ୍ଅନୁଯାୟୀ, ମେଜର ଧ୍ୟାନଚାନ୍ଦ ନିଜର ୨୨ ବର୍ଷର କ୍ୟାରିୟରରେ ୧୮୫ ମ୍ୟାଚ୍ ଖେଳି ୫୭୦ ଗୋଲ୍ କରିଛନ୍ତି। ଧ୍ୟାନଚାନ୍ଦ ୧୯୨୮୯ରେ ଆମଷ୍ଟରଡାମ୍ ଅଲିମ୍ପିକରେ ୧୪ ଗୋଲ୍ ଦେଇଥିଲେ। ଏହି ଅଲିମ୍ପିକରେ ସେ ସର୍ବାଧିକ ଗୋଲ୍ କରିବାର ରେକର୍ଡ କରିଥିଲେ । ୧୯୩୨ରେ ଖେଳାଯାଇଥିବା ଅଲିମ୍ପିକରେ ସେ ୮ ଗୋଲ ସହ ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଥିଲେ। ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ଭାରତ ୧୯୨୮, ୧୯୩୨ ଓ ୧୯୩୬ରେ ଲଗାତାର ତିନୋଟି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ କରିଥିଲା। ଧ୍ୟାନଚାନ୍ଦ ୪୦ ବର୍ଷର ହୋଇଥିଲା ବେଳେ ୨୨ ମ୍ୟାଚରେ ୬୮ ଗୋଲ୍ ଦେଇଥିଲେ।

ଓ୍ଵଷ୍ଟ୍‍ଇଣ୍ଡିଜ୍‌ରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ ସମୟରେ ସେହି ବହି ପଢ଼ୁଥିବା ସମୟରେ ବିରାଟ ହୋଇଥିଲେ ଟ୍ରୋଲ୍‌!


ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ୍ଵଷ୍ଟ୍‍ଇଣ୍ଡିଜ୍‌ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ୍‍ ମ୍ୟାଚ୍‌ ଚାଲୁଥିବା ସମୟରେ ଡ୍ରେସିଂ ରୁମ୍‌ର ବାଲ୍‌କୋନି ସମ୍ମୁଖରେ ବସି ଏକ ବହି ପଢ଼ୁଥିବାର ନଜରକୁ ଆସିଥିଲେ। ଏହାର ଏକ ଫଟୋ ସୋସିଆଲ୍‌ ମିଡ଼ିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କୁ ସେଠାରେ ଉପସ୍ଥିତ ରହିଥିବା ଦର୍ଶକେ ଜମେଇକି ଟ୍ରୋଲ୍‌ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ  ବିରାଟଙ୍କ କାରଣରୁ  ଉକ୍ତ ବହି ବିକ୍ରି କରୁଥିବା  କଂପାନିକୁ ଏହାର ଫାଇଦା ମିଳିଥିଲା।
ଆପଣଙ୍କ ସୂଚନାପାଇଁ ଜଣାଉଛୁ କି , କିଛିଦିନ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଓ୍ଵଷ୍ଟ୍‍ଇଣ୍ଡିଜ୍‌  ବିପକ୍ଷରେ ପ୍ରଥମ ଟେଷ୍ଟ୍‍ ମ୍ୟାଚ୍‌ ଖେଳୁଥିବା ସମୟରେ ସଂଘର୍ଷ କରୁଥିବାବେଳେ ଭାରତୀୟ ଦଳର ଅଧିନାୟକ  ବିରାଟ କୋହଲିଙ୍କର ସଂପୂର୍ଣ୍ଣ ଧ୍ୟାନ‘ଡିଟକ୍ସ ୟୁଅର୍‌ ଇଗୋ’ବହି ଉପରେ ରହିଥିଲା। ଫଳତଃ କୋହଲି ଉକ୍ତ  ବହିକୁ ପଢିବାରେ ଏଭଳି ଭାବେ ମଗ୍ନ ଥିଲେ ଯେ, ତାଙ୍କର ଖେଳ ଲାଗି  କୌଣସି ନିଘା ନ ଥିଲା ତେବେ ବିରାଟଙ୍କର ଏହି ମୂହୁର୍ତ୍ତର ଫଟୋ ଉଠାଇ  ସେଠାରେ ଉପସ୍ଥିତ ରହିଥିବା କେହି ଜଣେ ଦର୍ଶକ  ସୋସିଆଲ୍‌ ମିଡ଼ିଆରେ ସେଆର୍‌ କରିଦେଇଥିଲେ,ଯାହାକି ଖୁବ୍‌ ଭାଇରାଲ୍‌ ହୋଇଥିଲା। ଏହାପରେ  ଲୋକେ ବିରାଟ୍‌ଙ୍କୁ ଟ୍ରୋଲ୍‌  କରିବା ସହିତ ଅନେକ ପ୍ରକାରର ଉପଦେଶ ମଧ୍ୟ ଦେଇଥିଲେ।
ଏନେଇ ବହିର ପ୍ରକାଶକ ତାଙ୍କର ଟୁଇଟର୍‌ ରେ ଲେଖିଛନ୍ତି କି ,ଅଧିନାୟକ ବିରାଟଙ୍କ ଯୋଗୁଁ ତାଙ୍କର ସମସ୍ତ ବହି ଭାରତରେ ବିକ୍ରି ହୋଇସାରିଛି ଓ  ବ୍ରିଟେନ୍‌ରେ ମଧ୍ୟ  ଏହାର ଚାହିଦା ବୃଦ୍ଧି ପାଇଛି। ତେବେ ଉକ୍ତ ପୁସ୍ତକର ପ୍ରକାଶକଙ୍କ ଏହି ଟୁଇଟ୍‌ରୁ ଜଣାପଡ଼ୁଛି  ଯେ, ଖୁବ ଶୀଘ୍ର ପୁଣିଥରେ ଏହି ବହି ବଜାରକୁ ଆସିବ ଏବଂ  ଅନ୍ୟ ପାଠକ ବି ବିରାଟଙ୍କ ଭଳି ଏଥିରେ ଲେଖା  ହୋଇଥିବା ପାଠକୁ ପଢ଼ିପାରିବେ।
‘ଡିଟକ୍ସ ୟୁଅର୍‌ ଇଗୋ’ ନାମକ ଏହି ପୁସ୍ତକକୁ ପୂର୍ବତନ କ୍ରିକେଟର୍‌ ଷ୍ଟିଭେନ ସେଲଭେଷ୍ଟର ଲେଖିଛନ୍ତି। ଏହି ପୁସ୍ତକରେ ବ୍ୟକ୍ତି ତାହାର  ଜୀବନରେ ସ୍ୱାଧୀନ ଭାବେ ରହିବା ସହିତ ନିଜର ମତକୁ  ପ୍ରକାଶ କରିବାର ସୋପାନ ବିଷୟରେ ଲେଖାଯାଇଛି।

Author Name

Contact Form

Name

Email *

Message *

Powered by Blogger.