କାବାଡି ଦୋକାନରେ ଶିକ୍ଷା ବିଭାଗର ବହି
ପିଲାଙ୍କ ପାଠ ପଢାରେ ଆଗ୍ରହ ପାଇଁ ସରକାର ସର୍ବଶିକ୍ଷା ଯୋଜନାରେ ଯୋଗାଇ ଥିବା ମାଗଣା ବହି ଦେଖିବାକୁ ମିଳୁଛି କବାଡି ଦୋକାନରେ । ଗରିବ ଅଭିଭାବକ ପିଲାଙ୍କ ପାଇଁ ଆସିଥିବା ପାଠ୍ୟ ପୁସ୍ତକର ଲାଭ ପିଲା ଉଠାଇବା ବଦଳେ ଲାଭ ଉଠାଉଛନ୍ତି ଶିକ୍ଷକ । କବାଡି ଦୋକାନରେ ପାଠ୍ୟ ପୁସ୍ତକ ବିକ୍ରି କରି ମାଲମାଲ ହେଉଛନ୍ତି ଶିକ୍ଷକ । ଶିକ୍ଷା ବିଭାଗର ସଫଳ ରୂପାୟନର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମାଠାରୁ । ଚଳିତ ଶିକ୍ଷାବର୍ଷ ଆରମ୍ଭରେ ବ୍ଲକରେ ସର୍ବଶିକ୍ଷା ଯୋଜନାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ପିଲାଙ୍କ ପାଇଁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗେଇ ଦିଆଯାଇଥିଲା । କିଛି ସ୍କୁଲରେ ପିଲାଙ୍କୁ ବଣ୍ଟନ କରାଯାଇଥିଲେ କିଛି କିଛି ସ୍କୁଲରେ ବଣ୍ଟନ କରାନଯାଇ କିଛି ସ୍ଥାନରେ ବହି ଗୁଡିକ ରହି ରହି ନଷ୍ଟ ହୋଇଯାଇଛି । ସମସ୍ତ ବହି ବଣ୍ଟା ନେଇ ବ୍ଲକ ଶିକ୍ଷା ବିଭାଗ କେବଳ କାଗଜପତ୍ରରେ ନିଜର ବହି ବଣ୍ଟା ସାରିଦେଇଥିବା ନେଇ ରିପୋର୍ଟ ଦାଖଲ କରିଛି । ତେବେ ପିଲାଙ୍କ ପାଇଁ ଥିବା ନୂଆ ବହି ଗୁଡିକ ବିଭାଗ ବାଣ୍ଟିବା ପରିବର୍ତ୍ତେ କିଛି ଶିକ୍ଷକ କୋଡିଙ୍ଗାରେ ଥିବା କାବାଡି ଦୋକାନରେ ବିକ୍ରି କରିଥିବା ନଜର ଆସିଛି । ସରକାରୀ ଯୋଜନାରୁ କିଭଳି ଅଧିକାରୀ ମାନେ କାଗଜ କଲମରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ଏଥିରୁ ସ୍ପଷ୍ଟ ବାରିହେଉଛି । ଏନେଇ ଆମେ ଗୋଷ୍ଟି ଶିକ୍ଷା ଅଧିକାରୀ ସୁଭାଷ ଚନ୍ଦ୍ର ରାୟଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି “ଏଇଭଳି ହେବା କଥା ନୁହଁ ଏନେଇ ଯାଞ୍ଚ କରାଯିବ” । କର୍ତ୍ତବ୍ୟରେ ଅବହେଳା କରି ପିଲାଙ୍କ ପାଇଁ ଆସିଥିବା ମାଗଣା ପାଠ୍ୟ ପୁସ୍ତକକୁ ବିକ୍ରି ଘଟଣାରେ ଶିକ୍ଷା ବିଭାଗର ଯାଞ୍ଚ ପ୍ରକ୍ରିୟା ଓ କାର୍ଯ୍ୟନୁଷ୍ଠାନ ଦେଖିବାକୁ ବାକି ରହିଲା ।

Post a Comment