ଗୋ ସମ୍ପଦର ପର୍ବ ଦିଆଲି ପାଳିତ
ଶେଷ ହୋଇଛି ଚାଷୀଙ୍କ ଅମଳର ସମୟ । ଚାଷକାମରେ ଦୀର୍ଘ ଦିନର ଅକ୍ଳାନ୍ତ ପରିଶ୍ରମରେ ସହଭାଗୀ ଗାଈଗୋରୁଙ୍କ ସମ୍ମାନାର୍ଥେ ଅଞ୍ଚଳରେ ଆରମ୍ଭ ହୋଇଛି ଅଞ୍ଚଳବାସୀ ମାନଙ୍କ ଗୋ-ସମ୍ପଦର ପର୍ବ “ଦିଆଲି” । ଘର ଲିପାପୋଛା ସାଙ୍ଗକୁ ଝୋଟି ଆଙ୍କି ଲୋକେ ଘରେ ଘରେ ଗାଈଗୋରୁଙ୍କୁ ହଳଦୀ, ସିନ୍ଦୁର, ଫୁଲମାଳ ଦେଇ ପୂଜାର୍ଚ୍ଚନା କରିବା ସହ ମୁଣ୍ଡରେ ଅରୁଆ ଚାଉଳ ପକାଇ ଶୁଭ ମନାସିବା ସହ ଦୀର୍ଘାୟୁ କାମନା କରିଛନ୍ତି । ସୂଚନାଯୋଗ୍ୟ, ଆଦିବାସୀ ଅଦ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀ ଲୋକେ ଗୋ-ସମ୍ପଦର ସୁରକ୍ଷା ପାଇଁ ଏହି ପର୍ବ ପାଳନ କରିଥାନ୍ତି । ଯାହାର ଗାଈଗୋରୁ ଥାଏ ସେମାନେ ନିଶ୍ଚିତ ଏହି ପର୍ବ ପାଳନ କରନ୍ତି । ଗାଁର ମାଝୀ ପୂଜାରୀ, ଦିଶାରୀଙ୍କ ସହ ସମସ୍ତଙ୍କ ପରାମର୍ଶରେ ଏଥିପାଇଁ ଏକ ଶୁଭ ଦିନ ଠିକ କରାଯାଏ । ଏଥିପାଇଁ ଧାର୍ଯ୍ୟଦିନର ପୂର୍ବରୁ ଥିବା ସାପ୍ତାହିକ ହାଟରୁ ସଜବାଜ ଆରମ୍ଭ ହୋଇଥାଏ । ପର୍ବ ଆରମ୍ଭର ଗୋଟିଏ ଦିନ ପୂର୍ବ ସନ୍ଧ୍ୟାରେ ଗାଈଗୋରୁଙ୍କ ବେକରେ ଗେଟା ବନ୍ଧା ଯାଇଥାଏ । ପର୍ବ ଦିନ ଲୋକେ ଗାଈଗୋରୁଙ୍କୁ ଲାଉ, ବୋଇତାଳୁ, କଖାରୁ, କାକୁଡି, ଝୁଡ଼ୁଙ୍ଗ ପନିପରିବା ମିଶାଇ ନୂତନ ମାଟି ହାଣ୍ଡିରେ ଖେଚୁଡି ରନ୍ଧାଯାଏ । ଖେଚୁଡିକୁ କୁଲା ଓ ଚାଙ୍ଗୁଡିରେ ରଖି ଗାଈଗୋରୁଙ୍କୁ ଖାଇବାକୁ ଦେଇ ପୂଜାର୍ଚ୍ଚନା କରାଯାଇଥାଏ । ଗାଈ ଜଗୁଆଳ ବା(ଗଉଡ)ମାନେ ଘାସିନୀ ଦେବୀଙ୍କୁ ପୂଜାକରି ଦେହରେ କଳା ରଙ୍ଗର ମାଟି ବୋଳି ବିଭିନ୍ନ ବାଜାମହୁରୀ ବଜାଇ ‘କକିର୍ ନାଟ' କରିଥାନ୍ତି । ଦେବୀଙ୍କଠାରେ ପୂଜା କରି ଅଣାଯାଇଥିବା ଔଷଦ(ଗାଈଗୋରୁଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ “ଚିପଟି”) ଓ ଦଉଡିକୁ ଗୋରୁଙ୍କ ବେକରେ ବାନ୍ଧିଥାନ୍ତି । ପର୍ବର ଗୋଟିଏରୁ ୩ଦିନ ମଧ୍ୟରେ ଖୋଲା ପଡ଼ିଆରେ “ଗରଦନ ବା(ଗୋବର୍ଦ୍ଧନପୂଜା)”କରାଯାଏ । ଗୋରୁ ମାଲିକମାନେ ଗଉଡଙ୍କୁ ଧାନ, ଚାଉଳ, ଟଙ୍କା ଓ ଲୁଗାପଟା ଦେଇଥାନ୍ତି । ଏହି ଅବସରରେ ଧାନକେଣ୍ଡାକୁ ଗୁନ୍ଥି ଘର ଦୁଆର ମୁହଁରେ ବାନ୍ଧିବା ସହ ଶଗଡକୁ ଝୋଟି ଦେଇ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ ।ଏହାକୁ ସ୍ଥାନୀୟ ଭାଷାରେ “ଧାନଛେଲା” କୁହାଯାଏ । ପିଲାଙ୍କ ଉତ୍ତମ ସ୍ଵାସ୍ଥ୍ୟ ନିମନ୍ତେ ଗରଦନ ପୂଜା ସମୟରେ ଗଉଡଙ୍କଠାରୁ ଲୋକେ ଆର୍ଶୀବାଦ ନେଇଥାନ୍ତି । ୨ରୁ ୩ଦିନଧରି ଚାଲିଥିବା ଏହି ଗୋ-ସମ୍ପଦର ଦିଆଲି ପର୍ବ ପ୍ରତିବର୍ଷ ଗାଁ ଗଣ୍ଡାରେ ନାଚଗୀତ ଆସର ଜମି ଅଞ୍ଚଳ ଉତ୍ସବ ମୁଖର ହୋଇଉଠେ ।

Post a Comment