ମୁମ୍ବାଇ:ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ପଦ୍ମାବତୀ’କୁ ନେଇ ବିବାଦ ସଂପର୍କରେ କେତେକ ସିନେ ବ୍ୟକ୍ତିତ୍ୱ ନିଜର ମତ ରଖିଛନ୍ତି। ଏବେ ସେ ସଂପର୍କରେ ମୁହଁ ଖୋଲିଛନ୍ତି ବଲିଉଡର ମିଷ୍ଟର ଭାରତ ଓରଫ ମନୋଜ କୁମାର। ସେ କହିଛନ୍ତି ଯେ‘ପଦ୍ମାବତୀ’ ବିବାଦ ଲାଗି ଉଭୟ ପକ୍ଷ ଦାୟୀ। ଦାଦା ସାହେବ ଫାଲକେ ପୁରସ୍କାର ବିଜେତା ବର୍ଷୀଆନ୍ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ମନୋଜ କୁମାର କହିଛନ୍ତି ଯେ ଯଦି ବିରୋଧ କରୁଥିବା ଗୋଷ୍ଠୀ ଅନୁଭବ କଲେ ଯେ ଉକ୍ତ ସିନେମାରେ କିଛି ତ୍ରୁଟି ରହିଛି ତେବେ ସେ ବିଷୟରେ ପ୍ରଥମେ ନିର୍ମାତାଙ୍କୁ ଫିଲ୍ମ ଦେଖାଇବାକୁ ଅନୁରୋଧ କରିବା ଉଚିତ ଥିଲା। ଠିକ୍ ସେହିଭଳି ନିର୍ମାତା ଯେତେବେଳେ ବିରୋଧର ଆଭାସ ପାଇଲେ ସେତେବେଳେ ସେ ବି ନିଜ ଆଡୁ ସିନେମା ଦେଖାଇବାର ବନ୍ଦୋବସ୍ତ କରିବା ଉଚିତ ଥିଲା। କିନ୍ତୁ ଏଠି ତ କିଛି ଲୋକ ଗରମ ତାଓ୍ଵାରେ ରୁଟି ସେକି ଫାଇଦା ହାସଲ କରିବା ସପକ୍ଷରେ ଅଛନ୍ତି। କିନ୍ତୁ ଫିଲ୍ମ ବିରୋଧରେ ବିକ୍ଷୋଭ କରିବା ଠିକ୍ ନୁହେଁ ବୋଲି ମନୋଜ କୁମାର କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ଏହି ଫିଲ୍ମରେ ରାଣୀ ପଦ୍ମାବତୀ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡର ହଟ୍ ହିରୋଇନ୍ ଦୀପିକା ପାଦୁକୋନ୍ । ଅନ୍ୟପକ୍ଷରେ ଏଥିରେ ଆଲ୍ଲାଉଦ୍ଦିନ ଖିଲଜି ଚରିତ୍ର ନିଭାଇଛନ୍ତି ରଣବୀର ସିଂହ । ଠିକ୍ ସେହିପରି ଶାହିଦ୍ କପୁର ଅଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ । ଆହୁରି ମଧ୍ୟ ଏହାକୁ ଗୁଜୁରାଟ ,ରାଜସ୍ଥାନ, ଏବଂ ମଧ୍ୟ ପ୍ରଦେଶ ସରକାର ସେମାନଙ୍କ ରାଜ୍ୟରେ ପ୍ରଦର୍ଶନ ପାଇଁ ଅନୁମତି ଦେବାକୁ ମନା କରିଛନ୍ତି।


Post a Comment